Sunday, 2 May 2021

Raja festival essay in odia

                         ରଜପର୍ବ

ଉପକ୍ରମ:– 

କଥାରେ ଅଛି ବାର ମାସରେ ତେର ପର୍ବ; ଅର୍ଥାତ୍ ଆମ ସମାଜରେ ବହୁତ ପ୍ରକାରର ପର୍ବ ପାଳିତ ହୁଏ। ସେଗୁଡ଼ିକ ମଧ୍ୟରୁ ରଜ ପର୍ବ ଅନ୍ୟତମ। ରଜ ପର୍ବ ପ୍ରଧାନତଃ ଝିଅମାନଙ୍କର ପର୍ବ। ରଜ ପର୍ବ ପ୍ରତିବର୍ଷ ଜୁନ୍ ମାସରେ ପାଳିତ ହୋଇଥାଏ। 

ମୁଖ୍ୟତଃ ଓଡିଶାରେ ଏହାକୁ ବହୁତ ଧୁମଧାମ ରେ ପାଳନ କରାଯାଏ। ଓଡିଶାବାସୀ ଏହାକୁ ବହୁତ ହର୍ଷ ଓ ଉଲ୍ଲାସ ର ସହିତ ପାଳନ କରିଥାନ୍ତି। ରଜପର୍ବ ତିନିଦିନ ଧରି ପାଳନ କରାଯାଏ। ପ୍ରଥମ ଦିମତିକୁ ପହିଲି ରଜ ବୋଲି କୁହାଯାଇଥାଏ। ଦ୍ୱିତୀୟ ଦିନଟିକୁ ରଜ ସଂକ୍ରାନ୍ତି  ଓ ତୃତୀୟ ଦିନଟିକୁ ଭୂଇଁ ନଅଣ କୁହାଯାଏ।

ବିଧିବିଧାନ:–

ରଜପର୍ବ ର ନାମ ପଛରେ ଏକ କିମ୍ବଦନ୍ତୀ ରହିଛି। ଏହି ଦିନ ଗୁଡ଼ିକରେ ପୃଥିବୀ ମା ରଜସ୍ୱଳା ହୋଇଥାଏ। ସେଥିପାଇଁ ରାଜା ତିନି ଦିନ ଝିଅମାନେ ଖାଲିପାଦରେ ଭୂମି ଉପରେ ଚାଲିବା ନିଷେଧ ହୋଇଥାଏ। ତେଣୁ ରଜ ତିନିଦିନ ଝିଅମାନେ ପାଦରେ ଚପଲ ପିନ୍ଧି ଚାଲିଥାନ୍ତି। ଆଉ ମଧ୍ୟ ଏହି ତିନି ଦିନ ଧରି ବିଲରେ ହଳ ନିଷେଧ ହୋଇଥାଏ।

ଏହି ପର୍ବରେ ଘରେ ଘରେ ବିଭିନ୍ନ ପ୍ରକାରର ପିଠା ପଣା ପ୍ରସ୍ତୁତ ହୋଇଥାଏ। ପିଠା ପଣା ର ମହକରେ ସାରା ପରିବେଶ ମହକି ଉଠେ।  ପୋଡପିଠା,ଚକୁଳି,ମଣ୍ଡା,ସୁଜି କାକରା, ପୁର ଦିଆ ଇଟିଲି, ବରା,ପକୁଡ଼ି, ବାଇଗିଣି,ପୁରି ଓ ତା ସାଙ୍ଗକୁ  ବିଭିନ୍ନ ପ୍ରକାରର ମିଠା ଓ ତରକାରୀ ଇତ୍ୟାଦି ପ୍ରସ୍ତୁତ ହୁଏ।  ଏହି ପର୍ବ ର ପ୍ରକୃତ ମଜା ଗାଁ ଗହଳିରେ ମିଳେ। ପିଠା ପଣା ପ୍ରସ୍ତୁତ କରି ନିଜେ ଖାଇବା ସହିତ ସାହି ପଡ଼ଶାରେ ସବୁ ବଣ୍ଟା ବଣ୍ଟି ହୁଏ।

ଆହୁରି ମଧ୍ୟ ତା ସାଙ୍ଗକୁ ରଜପାନ ର ସ୍ଵାଦ ସମସ୍ତଙ୍କ ମନକୁ କିଣିନିଏ। ରଜ ପାନ ରେ ବହୁତ ପ୍ରକାରର ମିଠା ମସଲା ପଡ଼ି ପାନ ଦୋକାନ ଗୁଡ଼ିକରେ ମିଳେ। କିଛି କିଛି ଜାଗା ଗୁଡ଼ିକରେ ରଜ ପାନ ର ଷ୍ଟଲ୍ ମଧ୍ୟ ଖୋଲାଯାଇଥାଏ।


ଦୋଳି ଖେଳ:-

ଏହି ପର୍ବ ର ମୁଖ୍ୟ ଆକର୍ଷଣ ହେଉଛି ଦୋଳି। ଗାଁ ଗହଳିରେ ଆମ୍ବତୋଟା ଓ ନଦୀପଠା ରେ ଥିବା ଆମ୍ବ ଗଛ କିମ୍ବା ବର ଗଛ ଓହଳ ଗୁଡ଼ିକରେ ଦୋଳି ତିଆରି ହୋଇଥାଏ। ଦୋଳି ମଧ୍ୟରେ ବାଉଁଶ ଦୋଳି, ପଟାଦୋଳି , ନିଶୁଣି ଦୋଳି ଇତ୍ୟାଦି ମୁଖ୍ୟ।

ଏହି ପର୍ବରେ ମୁଖ୍ୟତଃ ଝିଅମାନେ ବଡିଭୋର ରୁ ଓଠି ଗାଧୋଇ ପାଧୋଇ ମନ ଆନନ୍ଦରେ ସଜବାଜ ହୋଇଥାନ୍ତି। ପହିଲି ରଜରେ ଝିଅ ମାନେ ନୂଆ ଲୁଗା ଓ ନୂଆ ଜାମା ପିନ୍ଧି ଚନ୍ଦନ ଓ ସିନ୍ଦୂରରେ ସୁସଜ୍ଜିତ ହୋଇଥାନ୍ତି। ମୁଣ୍ଡ ବାଳକୁ ସୁନ୍ଦର ଭାବେ କୁଣ୍ଡେଇଥାନ୍ତି। ପାଦରେ ଅଳତା ଓ ନଖରେ ନେଲ୍ ପଲିସ ଲଗାଇ ନିଜକୁ ସଜାଇ ସାଙ୍ଗସାଥୀ ମାନଙ୍କ ସହ ମିଶି ପିଠା ପଣା ଖାଇ ବୁଲିବାକୁ ବାହାରିଯାଆନ୍ତି। 

ସାଙ୍ଗମାନେ ଏକାଠି ହୋଇ ଦୋଳି ଖେଳିବାକୁ ବାହାରିଯାଆନ୍ତି। ଦୋଳିଖେଳ ହେଉଥିବା ସ୍ଥାନରେ ଖୁସି ମଉଜର ର ଆସର ଜମିଥାଏ। ତା ସାଙ୍ଗକୁ ରଜପାନ ଓ ଦୋଳି ଖେଳିବା ବେଳେ ବିଭିନ୍ନ ପ୍ରକାରର ଗୀତ ଗାଇଥାନ୍ତି।ଯେମିତି:-

     "ବନସ୍ତେ ଡାକିଲା ଗଜ 

                    ବରଷକେ ଥରେ ଆସିଛି ରଜ 

     ଆସିଛି ରଜ ଲୋ ଘେନି ନୂଆ ସଜବାଜ 

                    ବଉଳ ଲୋ ବେଗି ହୁଅ ସଜବାଜ"

ଏହି ପର୍ବରେ ପୁଅ ପିଲାମାନେ ମଧ୍ଯ କିଛି କମ୍ ମଉଜ ମସ୍ତି କରିନଥାନ୍ତି। ଏହି ତିନି ଦିନ ପୁଅମାନେ ବାଗୁଡ଼ି ଖେଳରେ ମାତିଯାଆନ୍ତି। ଗାଁ ଗାଁ ମଧ୍ୟରେ ବାଗୁଡ଼ି ଖେଳ ର ପ୍ରତିଯୋଗିତା ହୁଏ। ଗାଁ ର ବହୁତ ଲୋକ ଛିଡ଼ା ହୋଇ ଖେଳ ଦେଖିଥାନ୍ତି। ବୟସ୍କ ବ୍ୟକ୍ତି ମାନେ ତାସ୍ ଖେଳରେ ମାତିଯାନ୍ତି। ଆହୁରି ମଧ୍ୟ ଛୋଟ ପିଲାମାନେ ପୁଆବାଡି, ଲୁଡୁ, ବୋହୁଚୋରି ଇତ୍ୟାଦି ଖେଳରେ ମାତିଯାନ୍ତି।

ପାଗଯୋଗ:-

ସାଧାରଣତଃ ରଜ ପର୍ବରେ ପାଗ ମେଘୁଆ ହୋଇଥାଏ। ଲୋକମାନେ ଏହାକୁ ରଜପାଗ ବୋଲି କହିଥାନ୍ତି। ଏହି ରଜପାଗ କୁହାଯାଉଥିବା ମେଘୁଆ ପାଗ ବଡ଼ ଉପଭୋଗ୍ୟ ହୋଇଥାଏ। କିନ୍ତୁ ସମୟେ ସମୟେ ଝିପିଝିପି ବର୍ଷା ରଜପର୍ବ କୁ ଟିକେ ଫିକା କରି ଦେଇଥାଏ। 

ଶେଷକଥା:-

ରଜପର୍ବ ଓଡିଆ ମାନଙ୍କର ଏକ ବଡ଼ ପର୍ବ। ଏହି ପର୍ବ ଓଡ଼ିଆ ମାନଙ୍କ ବ୍ୟତୀତ ଅନ୍ୟକୌଣସି ସମାଜରେ ପ୍ରାୟ ପ୍ରଚଳିତ ନାହିଁ। ଏହାକୁ ପାଳନ କରି ଆମେ ଓଡ଼ିଆ ମାନେ ଯେତିକି ଆନନ୍ଦିତ ସେତିକି ଗୌରବ ଅନୁଭବ କରିଥାଉ।



No comments:

Post a Comment

Different Time in Odia

Hello ସାଙ୍ଗମାନେ....କଣ ଆପଣ ଓଡ଼ିଆ ରେ ଓ ଇଂରାଜୀ ରେ କେଉଁ ସମୟକୁ କଣ କୁହାଯାଏ ତାହା ଜାଣିଛନ୍ତି କି । ଏହି ଲେଖାରେ ଆମେ ଓଡ଼ିଆ ଓ ଇଂରାଜୀରେ ରେ କେଉଁ ସମୟକୁ କଣ କୁ...